ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗି ଫସିଲେ ରୋଗାକ୍ରାନ୍ତ ଶିକ୍ଷକ, ସାଇବର ଠକ କରିଦେଲେ ଆକାଉଣ୍ଟ ଖାଲି!

ଅଭିନେତା ସୋନୁ ସୁଦ୍‌ଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ ମାଗିବା ଜଣେ ରୋଗାକ୍ରାନ୍ତ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ସାଇବର ଠକ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ଦେଇଛନ୍ତି। ମାମଲା ବିହାରର ନାଳନ୍ଦା ଜିଲ୍ଲାର ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଶିକ୍ଷକ ଶୁଭମ୍ କୁମାର ଗତ ୧ ବର୍ଷ ହେବ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ୨୦୨୧ରେ କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ଫୁସଫୁସ ସମ୍ପୂର୍ଣ୍ଣ ରୂପେ ସଂକ୍ରମିତ ହୋଇଯାଇଛି। ଚେନ୍ନାଇସ୍ଥିତ ଏମ୍‌ଜିଏମ୍‌ ହେଲ୍‌ଥ କେୟାରରେ ଚିକିତ୍ସା ପାଇଁ ୪୫ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ପାଖରେ ପଇସା ନ ଥିବାରୁ ସେବେଠାରୁ ସେ ଅକ୍ସିଜେନ ସର୍ପୋଟରେ ଏକ ଭଡ଼ା ଘରେ ରହି ଆସୁଛନ୍ତି।

ନିଜ ଚିକିତ୍ସା ପାଇଁ ଶୁଭମ୍ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି, ହେଲେ କେଉଁଠାରୁ କିଛି ବି ସାହାଯ୍ୟ ମିଳି ନାହିଁ। ଏହାରି ଭିତରେ ଶିକ୍ଷକ ଜଣକ ସାହାଯ୍ୟ ଆଶାରେ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଟ୍ୱିଟ କରି ଚିକିତ୍ସା ପାଇଁ ଅନୁରୋଧ କରିଥିଲେ।

ଶନିବାର ସନ୍ଧ୍ୟାରେ ଶୁଭମ କୁମାରଙ୍କ ମୋବାଇଲକୁ କେହି ଜଣେ ଅଜଣା ବ୍ୟକ୍ତି ଫୋନ କଲ୍‌ କରିଥିଲେ। କଲ୍ କରିଥିବା ବ୍ୟକ୍ତି ନିଜକୁ ସୋନୁ ସୁଦଙ୍କ ମ୍ୟାନେଜର ବୋଲି କହିଥିଲେ। ଏହାପରେ ସେ ଶୁଭମ୍ କୁମାରଙ୍କ ମୋବାଇଲକୁ ଏକ ଲିଙ୍କ୍ ପଠାଇ ତାଙ୍କୁ ପଞ୍ଜିକରଣ କରିବାକୁ କହିଥିଲେ।

ଯେତେବେଳେ ଶୁଭମ୍ କୁମାରଙ୍କୁ ସନ୍ଦେହ ହୋଇଥିଲା, ତ ସେ ଆକାଉଣ୍ଟରେ କେବଳ ଦୁଇ ହଜାର ଟଙ୍କା ଛାଡି ସମସ୍ତ ଟଙ୍କା ନିଜ ଭାଇଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲେ। ଦୁଇ ହଜାର ଟଙ୍କା ରହିବା ପରେ ଯେତେବେଳେ ସେ ଲିଙ୍କ୍ ଡାଉନଲୋଡ୍ କରି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ, ତ କିଛି ସମୟ ପରେ ସେହି ଟଙ୍କା ବି ତାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା। ଏହାପରେ ପୀଡିତ ଶିକ୍ଷକ ସାଇବର ଠକେଇର ଶିକାର ହୋଇଥିବା ଅନୁଭବ କରିଥିଲେ।

Leave A Reply

Your email address will not be published.