ଶଳା ବାହାଘର ପାଇଁ ଛୁଟି ନ ମିଳିବାରୁ ଟ୍ରେନ୍‌ ଆଗରେ ଶୋଇଗଲେ ଯୁବକ, ଖଣ୍ଡ ବିଖଣ୍ଡିତ ଅବସ୍ଥାରେ କହିଲେ ମନ କଥା

ଶଳାର ବିବାହ ପାଇଁ ଛୁଟି ନ ମିଳିବାରୁ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କଲେ ଯୁବକ। ଉତ୍ତର ପ୍ରଦେଶର କାନପୁରରେ ଜଣେ ରେଳ ବିଭାଗର କର୍ମଚାରୀ ଟ୍ରେନରେ କଟି ନିଜ ଜୀବନ ହରାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଶରୀରର ଅଧା ଅଂଶ କଟିବାର କିଛି ସମୟ ପର୍ଯ୍ୟନ୍ତ ବି କର୍ମଚାରୀ ଆଦୌ ବିଚଳିତ ହୋଇନଥିଲେ ଓ ଧାରଣାରେ ଚୁପ୍‌ଚାପ ଶୋଇ ରହିଥିଲେ। ତାଙ୍କ ଆଖିରୁ ଝର ଝର ହୋଇ ଲୁହ ବୋହୁଥିଲା ଓ ୧୦ ମିନିଟ୍‌ ପରେ ଧୀରେ ଧୀରେ ଆଖି ବନ୍ଦ ହୋଇ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଏହି ସମୟରେ ଆଖପାଖର ଲୋକ ତାଙ୍କ ଭିଡିଓ କରୁଥିବାର ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ, କାନପୁରର ପନକୀ ରେଲୱେ ଷ୍ଟେସନ୍‌ରେ ରମେଶ ଯାଦବ(୩୩) ଜଣେ କର୍ମଚାରୀ ଭାବେ କାମ କରୁଥିଲେ। ଫେବ୍ରୁଆରୀ ୧୯ରେ ତାଙ୍କ ଶଳାର ବିବାହ ଥିଲା ଓ ସେ ଛୁଟି ମାଗିଥିଲେ। କିନ୍ତୁ ରେଳପଥ ନିରୀକ୍ଷକ ଚିତ୍ରେଶ ତିଓ୍ଵାରୀ ତାଙ୍କୁ ଛୁଟି ପାଇଁ ମନା କରି ଦେଇଥିଲେ। ଫଳରେ ସେ ଚିନ୍ତାରେ ଥିଲେ। କାରଣ ପତ୍ନୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ବିବାହକୁ ଆସିବାକୁ ଚାପ ପକାଉଥିଲେ। ଏଣୁ ଅନ୍ୟ ଉପାୟ ନ ପାଇ ରମେଶ ସୋମବାର ଦିନ ପନକୀ ରେଲେଓ୍ଵ ଷ୍ଟେସନ୍‌ରେ ଟ୍ରେନ ଧାରଣାରେ ଶୋଇଯାଇଥିଲେ। ଫଳରେ ତାଙ୍କ ଉପରେ ଟ୍ରେନ୍‌ ଚଢ଼ିଯାଇଥିଲା ଓ ତାଙ୍କ ଶରୀର ଦୁଇ ଖଣ୍ଡ ହୋଇଯାଇଥିଲା।

ରେଲୱେ ଟ୍ରାକ୍‌ରେ କାମ କରୁଥିବା କର୍ମଚାରୀ ତାଙ୍କ ନିକଟରେ ପହଞ୍ଚିବାରୁ ରମେଶଙ୍କ କଟା ଶରୀରରେ ଜୀବନ ଥିବା ଦେଖିଥିଲେ। ରମେଶ କହିଥିଲେ- ମୋତେ ଛୁଟି ନ ମିଳିବାରୁ ମୁଁ ଜୀବନ ଦେଇ ଦେଲି। ଏହାର ଭିଡିଓ ବି କର୍ମଚାରୀ ରେକର୍ଡ କରିଛନ୍ତି। ତେବେ ତାଙ୍କୁ ହସ୍ପିଟାଲକୁ ନେବା ପୂର୍ବରୁ ହିଁ ତାଙ୍କ ଜୀବନ ଚାଲିଯାଇଥିଲା।

ରମେଶଙ୍କ ମୃତ୍ୟୁ ପରେ ଏବେ ଏହି ମାମଲା ମିଡିଆରେ ଚର୍ଚ୍ଚାରେ ରହିଛି ଓ ଭିଡିଓ ଭାଇରାଲ ହେଉଛି। ଏହି ଘଟଣାରେ ଇସଲାମାବାଦର ଡିଆରଏମ୍‌ ମୋହିତେ ଚନ୍ଦ୍ରା ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.