କେବଳ ବର୍ଷା ନୁହେଁ, ଆସନ୍ତାବର୍ଷଠୁ ମ୍ୟାଲେରିଆର ସମ୍ଭାବ୍ୟ ପ୍ରକୋପର ବି ପୂର୍ବାନୁମାନ କରିବ ଭାରତୀୟ ପାଣିପାଗ ବିଭାଗ

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡି) ଆସନ୍ତା ମୌସୁମୀଠାରୁ ମ୍ୟାଲେରିଆ ପ୍ରକୋପର ପୂର୍ବାନୁମାନ ଜାରି କରିବା ଆରମ୍ଭ କରିବ। ଏନେଇ ପୃଥ୍ଵୀ ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍‌ ରାଜୀବନ୍‌ ଶନିବାର ସୂଚନା ଦେଇଛନ୍ତି। ଭାରତୀୟ ବିଜ୍ଞାନ ଏକାଡେମୀ ଦ୍ୱାରା ପାଣିପାଗ ଏବଂ ଜଳବାୟୁ ପୂର୍ବାନୁମାନରେ ହୋଇଥିବା ଉନ୍ନତି ବିଷୟରେ ଆୟୋଜିତ ଆଲୋଚନାରେ ଉଦ୍‌ବୋଧନ ଦେବା ଅବସରରେ ରାଜୀବନ୍‌ କହିଛନ୍ତି ଭାରତର ଯୋଜନା ଉଚ୍ଚ ଦକ୍ଷତା କମ୍ପ୍ୟୁଟରିଂ(ଏଚ୍‌ପିସି) କ୍ଷମତାକୁ ୧୦ ପେଟା କ୍ଲାପ୍ସରୁ ବଢ଼ାଇ ୪୦ ପେଟାକ୍ଲାପ୍ସ କରି ଦିଆଯାଇଛି। ଏହା ଦ୍ୱାରା ପାଣିପାଗ ବିଭାଗକୁ ପୂର୍ବାନୁମାନ କରିବାରେ ବହୁତ ସାହାଯ୍ୟ ମିଳିବ।

ସେ କହିଛନ୍ତି ବର୍ତ୍ତମାନ ଏଚ୍‌ପିସି ମାମଲାରେ ଭାରତର ସ୍ଥାନ ଆମେରିକା, ବ୍ରିଟେନ୍‌ ଓ ଜାପାନ ତଳେ ରହିଛି। ପ୍ରକାଶ ଯେ ଗତ ସପ୍ତାହରେ ପୃଥ୍ଵୀ ବିଜ୍ଞାନ ବିଭାଗ ତରଫରୁ ଜାରି ଏକ ରିପୋର୍ଟରେ କୁହାଯାଇଥିଲା ଯେ ଜାତୀୟ ମୌସୁମୀ ମିଶନ ଓ ଏଚ୍‌ପିସି ପାଇଁ ପ୍ରାୟ ୯୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଓ ଏହାର ଲାଭ ନିବେଶ ତୁଳନାରେ ୫୦ ଗୁଣ ଅଧିକ ମିଳିବ।

ଜାତୀୟ ସ୍ୱାସ୍ଥ୍ୟ ପୋର୍ଟାଲ ମୁତାବକ ଦେଶରେ ମ୍ୟାଲେରିଆର ସବୁଠୁ ଅଧିକ ମାମଲା ପୂର୍ବ ଓ ମଧ୍ୟ ଭାରତ ଓ ଅନ୍ୟ ରାଜ୍ୟରୁ ଆସେ, ଯେଉଁଠାରେ ଜଙ୍ଗଲ, ପାହାଡ଼ ଓ ଆଦିବାସୀ ଅଞ୍ଚଳ ରହିଛି। ଏହି ରାଜ୍ୟ ମଧ୍ୟରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ପୂର୍ବୋତ୍ତର ରାଜ୍ୟ ଯଥା: ତ୍ରିପୁରା, ମେଘାଳୟ, ମିଜୋରାମ ଆଦି ରାଜ୍ୟ ରହିଛି। ଭାରତରେ ମ୍ୟାଲେରିଆ ମାମଲା ଲଗାତାର ହ୍ରାସ ପାଇବାରେ ଲାଗିଛି। ୨୦୦୧ ମସିହାରେ ଦେଶରେ ମ୍ୟାଲେରିଆର ୨୦.୮ ଲକ୍ଷ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୪ ଲକ୍ଷ ପାଖାପାଖି ଥିଲା।

Leave A Reply

Your email address will not be published.