ଦିନରେ ତନ୍ତ ବୁଣିବା ସହିତ ରାତିରେ କାବ୍ୟ ରଚନା କରୁଥିଲେ ସ୍ୱଭାବ କବି ଗଙ୍ଗାଧର ମେହେର

ଯେଉଁ କବିଙ୍କୁ ନେଇ ଗର୍ବ କରନ୍ତି ପ୍ରତିଟି ଓଡ଼ିଆ, ଯେଉଁ କବିଙ୍କ ଲେଖନୀ ଚାଳନା ଓଡିଆ ଭାଷା ସାହିତ୍ୟକୁ କରିଛି ଅଧିକରୁ ଅଧିକ ଋଦ୍ଧିମନ୍ତ । ସେହି ଯୋଗଜନ୍ମା କବି ହେଉଛନ୍ତି ସ୍ଵଭାବ କବି ଗଙ୍ଗାଧର ମେହେର । ଓଡିଆଭାଷା, ସାହିତ୍ୟ ଓ ଓଡିଆଜାତି ଯେତେବେଳେ ସଙ୍କଟ ଦେଇ ଗତି କରୁଥିଲା ସେତିକି ବେଳେ କବି ଗଙ୍ଗାଧରଙ୍କର ହୋଇଥିଲା ଅଭ୍ୟୁଦୟ । ତାଙ୍କ ଲେଖନୀରୁ ସୃଷ୍ଟି ହୋଇଥିଲା କାଳଜୟୀ ସାହିତ୍ୟ । ପ୍ରତିଟି ସୃଷ୍ଟିରେ ଭରି ରହିଥିଲା ଆଦର୍ଶଭାବନା, ଦେଶପ୍ରୀତି ଓ ପ୍ରକୃତିବର୍ଣ୍ଣନା ଏମିତି ଅନେକ । ଶ୍ରାବଣପୂର୍ଣ୍ଣିମା ଦିନ ଜନ୍ମଗ୍ରହଣ କରିଥିଲେ ସ୍ଵଭାବ କବି ଗଙ୍ଗାଧର ମେହେର। ଏବେ ତାଙ୍କର ୧୬୧ତମ ଜୟନ୍ତୀ ପାଳନ ହେଉଛି । ତାଙ୍କ ଜନ୍ମମାଟି ହେଉଛି ବରଗଡ ଜିଲ୍ଲା ବରପାଲି ଅଞ୍ଚଳରେ । ଜନ୍ମମାଟି ସମେତ ସାରା ଓଡିଶାରେ ପାଳନ କରାଯାଉଛି ତାଙ୍କର ଜନ୍ମତିଥି । ତାଙ୍କୁ ଓ ତାଙ୍କ ଅବଦାନକୁ ମନେ ପକାଇବା ଓ ଶ୍ରଦ୍ଧାଞ୍ଜଳି ଦେବା ହେଉଛି ଆମ ମାନଙ୍କର ପ୍ରଧାନ କର୍ତ୍ତବ୍ୟ ।

ସ୍ଵଭାବ କବି ଗଙ୍ଗାଧର ମେହେର ଅଗଷ୍ଟ ୯ ତାରିଖ ୧୮୬୨ ମସିହା ଶ୍ରାବଣପୂର୍ଣ୍ଣିମା ଦିନ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମର ଏକ ଭୁଲିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚୈତନ୍ୟ ମେହେର ଓ ମାତାଙ୍କ ନାମ ଥିଲା ସେବତୀ ଦେବୀ । ବାପା ଚୈତନ୍ୟ ମେହେର ଲୁଗା ବୁଣି କବିରାଜି କରି ପରିବାର ଚଳାଉଥିଲେ । ବୟସ ମାତ୍ର ସାତଆଠ ବର୍ଷ ହୋଇଥିବା ବେଳେ ଚାଟଶାଳୀରେ ଗଙ୍ଗାଧର ପାଠ ପଢ଼ିଲେ । ପରେ ବ୍ରାଞ୍ଚସ୍କୁଲ ଓ ଭର୍ନାକୋଲାର ସ୍କୁଲରେ ପଞ୍ଚମଶ୍ରେଣୀ ଯାଏଁ ପାଠ ପଢିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର ହେଉଛି ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଥିଲେ ମଧ୍ୟ କାବ୍ୟ କବିତା ରଚନାରେ ତାଙ୍କ ଦକ୍ଷତା ଥିଲା ଅପରିସୀମ ଓ ଅନନ୍ୟ | ପିଲା ସମୟରେ ବାପାଙ୍କୁ ବେଳେବେଳେ ସେ ଲୁଗା ବୁଣିବାରେ ସାହାଯ୍ୟ ସହଯୋଗ ବି କରୁଥିଲେ। ଘରେ ରହି ସେ ଭାଗବତ, ମଥୁରାମଙ୍ଗଳ, ସୀତା ବନବାସ, କାଦମ୍ବରୀ, ରଘୁବଂଶ ଆଦି ମଧ୍ୟ ପଢ଼ାପଢ଼ି କରୁଥିଲେ । ୧୮୭୮ମସିହାରେ ସେ ବିବାହ କରିଥିଲେ ଶାନ୍ତାଦେବୀଙ୍କୁ ।ପୈତୃକ ବେଉସା ଲୁଗାବୁଣି କରି ସେ ପେଟ ପୋଷୁଥିଲେ । କିନ୍ତୁ ପେଶା ସହ ନିଜ ନିଶାକୁ ମଧ୍ୟ ବଜାୟ ରଖିଥିଲେ ଶ୍ରୀ ମେହେର | ତନ୍ତବୁଣା ସହ ଗ୍ରନ୍ଥ ଚର୍ଚ୍ଚା ବି କରୁଥିଲେ । ଦିନରେ ତନ୍ତରେ ଲୁଗା ବୁଣୁଥିବା ବେଳେ ରାତିରେ କାବ୍ୟ କବିତା ଆଦି ରଚନା କରିବା ଥିଲା ତାଙ୍କ ନିତିଦିନିଆ କାର୍ଯ୍ୟ | ପରେ ବରପାଲି ଜମିଦାର ତାଙ୍କୁ ୧୮୮୫ରେ ମାସିକ ୭ ଟଙ୍କା ଦରମାରେ ଅମିନ ଚାକିରିରେ ନିଯୁକ୍ତି ଦେଲେ । କିଛି ବର୍ଷ ପରେ ସେ ଜୁଡିସିଆଲ ମୋହରି ଭାବେ ସମ୍ବଲପୁର , ବିଜେପୁର ,ପଦ୍ମପୁରକୁ ଆଦି ସ୍ଥାନ ମାନଙ୍କୁ ବଦଳି ହୋଇ କାର୍ଯ୍ୟ କରିଥିଲେ ।

gangadhar meher

ବୋଡା ସମ୍ବର ରାଜା ତାଙ୍କର କାବ୍ୟକବିତାରେ ମୁଗ୍ଧ ହୋଇ ତାଙ୍କୁ ଏକ ଗାଁ ପୁରସ୍କାର ରୂପେ ଦେଇଥିଲେ । ଗଙ୍ଗାଧରଙ୍କ ସ୍ମୃତିରେ ତାଙ୍କ ଗାଁର ନାମ ରଖା ହୋଇଥିଲା କବିରପୁର । ଗଙ୍ଗାଧର ନିଜ କାବ୍ୟ କବିତାରେ ସାରା ଜଗତକୁ ମଧୁମୟର ବାର୍ତ୍ତା ଦେଇଥିଲେ । ରାଧାନାଥ ରାୟ, ଫକୀରମୋହନ ସେନାପତିଙ୍କ ପରି ସାହିତ୍ୟରେ ସେ ଭରିଦେଇଥିଲେ ନୂଆସ୍ଵାଦ। ପ୍ରକୃତି ହୋଇଥିଲା ଜୀବନ୍ତ। ଚରିତ୍ରମାନେ ନିଜ ନିଜ ଗୁଣରେ ହୋଇଥିଲେ ବଳୀୟାନ । ତାଙ୍କ କାବ୍ୟ କବିତା ପାଠ କରି ପାଠକ ହେଉଥିଲେ ଅଭିଭୂତ। ସାହିତ୍ୟ ପଢୁପଢୁ ଧୀରେ ଧୀରେ ଗଙ୍ଗାଧର ସାହିତ୍ୟ ରଚନା କରିବାକୁ ଲାଗିଲେ । ତାଙ୍କ ରଚିତ କାବ୍ୟରସ ଗୁଡିକ ମଧ୍ୟରେ ରହିଛି ରତ୍ନାକର, ଅହଲ୍ୟା ଆଦିକୁ ପଢି ଖୁସି ହୋଇଥିଲେ ପାଠକ ବୃନ୍ଦ । ପରମ୍ପରାର ପୁରୋଦୃଷ୍ଟି, ଆହରଣରେ ନୂତନତା ଆଉ ମୌଳିକତା ଥିଲା ତାଙ୍କ ସାହିତ୍ୟର ମୂଳ ବିଶେଷତ୍ଵ । ଇନ୍ଦୁମତି,ତପସ୍ଵିନୀ, କୀଚକବଧ, ଅର୍ଘ୍ୟଥାଳି ଭଳି କାବ୍ୟକବିତା ରଚନା କରି ସେ ଓଡିଆ ସାହିତ୍ୟରେ କାଳଜୟୀ ସ୍ରଷ୍ଟା ହେବାର ଗୌରବ ଲାଭ କରିଛନ୍ତି । ପ୍ରଣୟ ବଲ୍ଲରୀରେ ଲୋକଶିକ୍ଷା, କୀଚକବଧରେ ସଂଳାପୋଚିତ, କାବ୍ୟପଂକ୍ତି ତାଙ୍କ ପ୍ରତିଭାର ପରିଚୟ ଦିଏ । ୧୯୧୭ ମସିହାରେ ଜଣେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ଗଙ୍ଗାଧର । ୧୯୨୪ମସିହାର ଏପ୍ରିଲମାସ ୪ତାରିଖରେ ଚୈତ୍ର ଅମାବାସ୍ୟା ତିଥିରେ ୬୧ବର୍ଷ ବୟସରେ ତାଙ୍କର ନିଧନ ହୁଏ।ପୂର୍ଣ୍ଣମୀରେ ଆସିଥିଲେ ଆଉ ଅମାବାସ୍ୟାରେ ଇହ ଜଗତରୁ ବିଦାୟ ନେଇଗଲେ ଏହି କାଳଜୟୀ ଲେଖକ ।

ସେଥିପାଇଁ ତ ଜନ୍ମମାଟି ବରପାଲିର ବୁଣାକାରମାନେ ବାନ୍ଧକଳା ମାଧ୍ୟମରେ ତାଙ୍କର ଅନବଦ୍ୟ ସୃଷ୍ଟିକୁ ଲୋକଲୋଚନକୁ ଆଣିଛନ୍ତି । ବିଭିନ୍ନ କାବ୍ୟକବିତାର ପଂକ୍ତିକୁ ବାନ୍ଧକଳା ଦ୍ୱାରା ବାନ୍ଧି ରଖିଛନ୍ତି । ବରପାଲିର ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେର ମଧୁମୟ, ଭକ୍ତି  କବିତା ବାନ୍ଧକଳାରେ ସ୍ଥାନ ଦେଇ ଏହି ମହାନ୍‌ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ୧୯୬୯ମସିହାରେ କବିଙ୍କ ବାସଭବନକୁ ରାଜ୍ୟ ସରକାର ନିଜ ଅଧୀନକୁ ନେଇ ଏକ ସଂଗ୍ରହାଳୟ ସ୍ଥାପନ କରିଥିଲେ ।ତାଙ୍କ ବ୍ୟବହୃତ ପୋଷାକ, ଦୁଆତ, କଲମ, କଠଉ ଆଦି ସାମଗ୍ରୀ ଆଜିବି ଦେଖିବାକୁ ମିଳେ ଏଠାରେ । ହେଲେ ତାଙ୍କ ଜନ୍ମମାଟିରେ ଥିବା ସମାଧିପୀଠ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଯାହା କୁହୃଦ ବୋଧ କରି ଚଳିତ ବର୍ଷ ରାଜ୍ୟ ସରକାର ତାଙ୍କ ସମାଧିପୀଠକୁ ପୁନରୁଦ୍ଧାର କରିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧କୋଟି ୧୯ଲକ୍ଷଟଙ୍କା ଅନୁମୋଦନ କରିଛନ୍ତି।

 

 

 

 

 

 

Leave A Reply

Your email address will not be published.