ଉପରେ ସିନା ହସୁଛି, ହେଲେ ଭିତରେ ତାର ଯନ୍ତ୍ରଣା ପ୍ରତିଦିନ ସେହି ଦିନକୁ ଭୁଲିବାକୁ ଦେଉନି

କୁହାଯାଏ ସ୍ୱପ୍ନ କେବେ ବି ତଳକୁ ଟାଣେନି । ବରଂ ଆଗକୁ ବଢିଯିବାକୁ ସାହସ ଦିଏ । ସେହି ସାହାସ ଦେଖିବାକୁ ପାଇଲୁ ଗୋଟେ ଝିଅଟି ଭିତରେ । ତା ସ୍ୱପ୍ନ ପୁରା କରିବାକୁ ତା ପାଖରେ ସାହସ ତ ଅଛି ହେଲେ ଆଉ କିଛି ବି ନାହିଁ । କାରଣ ସେ ଗୋଟେ ଅଭାଗିନୀ । ଭିନ୍ନକ୍ଷମ ହୋଇ ବି ଭିନ୍ନ ନୁହେଁ ତାର ଚିନ୍ତା ଧାରା । ସମସ୍ତଙ୍କ ପରି ସେ ବି ଚାହେଁ ତା ବାପାମାଆଙ୍କ ପାଇଁ କିଛି କରିବାକୁ । ଘର ଚଳାଇବାକୁ । ହେଲେ ଏସବୁ ପାଇଁ ଚାଟଶାଳୀ ଯିବା ତ ଦରକାର । ଦଶମ ଶ୍ରେଣୀ ପାସ କରି ପ୍ରଥମ ସୋପାନ ତ ଅତିକ୍ରମ କରିସାରିଛି ହେଲେ ଦ୍ୱିତୀୟ ସୋପାନକୁ, ଯିବାକୁ ଦେଉନି ଅସହାୟତା ।

ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କମସରଗଗଡ ଗାଁର ସୁରେଶ ବଡଚାଟ୍‌ । ତାଙ୍କ ଅଲିଅଳି ଗେହ୍ଲା ଝିଅ ହେଉଛି ରୁବିନା । ହସହସ ମୁହଁ, ଶାନ୍ତ ସ୍ୱଭାବର ଚେହେରା । ତାକୁ ଦେଖିଲେ ମନେହୁଏ, ସତେଯେମିତି ଆଖିରେ ଆଖିଏ ସ୍ୱପ୍ନ ନେଇ, ନିଜ ଭବିଷ୍ଯତ କଥା ଚିନ୍ତା କରୁଛି । ଯେମିତି ଏ ବୟସରେ ସବୁ କୁଆଁରୀ ଝିଅମାନେ ଚିନ୍ତା କରନ୍ତି । ହେଲେ ରୁବିନାର ପରିସ୍ଥିତି କିନ୍ତୁ ଅଲଗା । ଉପରେ ସିନା ହସୁଛି, ହେଲେ ଭିତରେ ତାର ଯନ୍ତ୍ରଣା ପ୍ରତିଦିନ ସେହି ଦିନକୁ ଭୁଲିବାକୁ ଦେଉନି ।

୫ମ ଶ୍ରେଣୀରେ ପାଠ ପଢିବା ବେଳେ ଏକ ଦୁର୍ଘଟଣାର ଶୀକାର ହୋଇ ରୁବିନା ନିଜ ଡାହାଣ ହାତକୁ ହରାଇ ବସିଲା । ଆଉ ଗୋଡ ବି ତାର ଅକ୍ଷମ ହୋଇଗଲା । ସାଙ୍ଗସାଥୀଙ୍କ ସହ ମିଶି ଘରର ଛାତ ଉପରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ଛାତ ଉପରେ ଯାଇଥିବା ବିଦ୍ୟୁତ ତାରରେ ଲାଗି ଯାଇଥିଲା ରୁବିନା । ଅଚେତ ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକେ । ମେଡିକାଲ୍‌ ବେଡ୍‌ରେ ଚେତା ଫେରିବା ବେଳକୁ ରୁବିନା ଦେଖିଲା ତା’ ଡାହାଣ ହାତଟି କଟା ହୋଇଯାଇଛି । ଆଉ ଅକର୍ମଣ୍ୟ ହୋଇଯାଇଛି ଡାହାଣ ଗୋଡର ପାଦ । ରୁବିନାର ଜୀବନ ସିନା ବଞ୍ଚିଗଲା, ହେଲେ ସବୁଦିନ ପାଇଁ ତା ସ୍ୱପ୍ନ ଯେମିତି ମାଟିରେ ମିଶିଗଲା।

ରୁବିନାଙ୍କ ବାପା ମାଆ ଉଭୟ ଦିନ ମଜୁରିଆ ଭାବେ କାମ କରନ୍ତି । ଆଉ ସେଥିରେ ପରିବାର ଚଳେ । ୩ ଝିଅ ୨ପୁଅ ଭିତରେ ରୁବିନା ହେଉଛି ସାନଝିଅ । ପରିବାରର ଆର୍ଥିକ ଅବସ୍ଥା ଭଲ ନାହିଁ । ଝିଅର ଏଭଳି ଦୁର୍ଘଟଣା ସମୟରେ ଜମି ବିକ୍ରି କରିଦେଲେ ବାପା । ଅଭାବ ଓ ଅସୁବିଧା ସତ୍ତ୍ୱେ ବହୁ କଷ୍ଟରେ ରୁବିନା ମେଟ୍ରିକ୍‌ ପାସ୍‌ କଲା । ନିଜେ ଟିଉସନ୍‌ କରି କଲେଜରେ ଯୁକ୍ତ ୨ରେ ପାଠ ପଢିଲା । ହେଲେ ବାମ ହାତରେ ଲେଖୁଥିବାରୁ ପରୀକ୍ଷାରେ ର୍ନିଧାରିତ ସମୟ ଭିତରେ ଉତ୍ତର ଲେଖିପାରିନଥିଲା । ଆଉ ସେହିଠାରୁ ହିଁ ଅଧାରେ ରହିଗଲା ରୁବିନାର ପାଠପଢ଼ା । ଏବେ ନିଜେ ଘରେ ରହି ସବୁ କାମ କରୁଛି ସେ ।

ବୟସ ତାକୁ ୨୧ ବର୍ଷ । କିନ୍ତୁ ଏ ବୟସ ଯେତେ ବଢୁଛି ନିଜ ଭବିଷ୍ଯତକୁ ନେଇ ସେତିକି ଚିନ୍ତାରେ ସେ । ଗଲା ଦଶବର୍ଷ ଧରି ନିଜ ଅକୁହା ଯନ୍ତ୍ରଣାକୁ ଚାପିରଖି, ନିଜେ ବଞ୍ଚିଛି ଏବଂ ଅନ୍ଯକୁ ବଞ୍ଚିବା ପାଇଁ ପ୍ରେରଣା ଦେଇଚାଲିଛି । କେବେବି ନିଜକୁ ଭିନ୍ନକ୍ଷମ ଭାବି ପଛକୁ ହଟିନି । ଏବେବି ପାଠପଢି ନିଜ ଭବିଷ୍ଯତ ଗଢିବାର ସ୍ୱପ୍ନ ଅତୁଟ ରଖିଛି ରୁବିନା । କେବଳ ସୁଯୋଗ ଓ ସହାୟତାକୁ ତାର ଅପେକ୍ଷା । ଆଉ ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀ ବି କହନ୍ତି ରୁବିନାକୁ ଯଦି ସରକାରୀ ସହାୟତା କିମ୍ବା ପ୍ରତ୍ସୋହାନ ମିଳେ ତେବେ ସେ ସକ୍ଷମ ହୋଇ ନିଜ ଉଜୁଡା ଭବିଷ୍ଯତ ଗଢିପାରିବ ।

Leave A Reply

Your email address will not be published.