ବିଭିନ୍ନ ସ୍ଥାନରେ ପାଳନ ହୋଇଛି ଦୂତି ବାହାନ ଓଷା , ଆଜି ଘରେ ଘରେ ମହକୁଛି ଘାଣ୍ଟର ବାସ୍ନା

ଦୂତୀ ବାହନ ଓଷା, ଦୁତିଆ ଓଷା ବା ପୁଅ ଜିଉଁତିଆ ଓଷା ନାମରେ ମଧ୍ୟ ଜଣାଯାଏ। ଏହା ଓଡ଼ିଶାରେ ପାଳିତ ଏକ ଓଷା । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁତିଆ” ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥିବା ବେଳେ ବାକି କେତେକ ସ୍ଥାନରେ “ଦୁତିଆ/ଦୂତୀଆ” ବା “ଦୂତୀ ବାହନ ଓଷା” ନାମରେ ପାଳିତ । ମା ମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଏହି ଦିନ ମା’ମାନେ ସାରାଦିନ ଜଳସ୍ପର୍ଶ ନ କରି ଉପବାସ କରିଥାନ୍ତି । ଏହି ଦିନ ଘରେ ଘରେ ଘାଣ୍ଟ ତରକାରୀ ତିଆରି ହୋଇଥାଏ ।

ଦ୍ୱିତୀୟା ଓଷାର ଶୁଭମୁହୂର୍ତ : ଚଳିତ ବର୍ଷ ଅଷ୍ଟମୀ ତିଥି ୧୭ ସେପ୍ଟେମ୍ବର ରାତି ୨ :୧୪ ଆରମ୍ଭ ହୋଇ ୧୮ ସେପ୍ଟେମ୍ବର ଆପରାହ୍ନ ୪:୩୨ ରେ ଶେଷ ହେଉଛି। ତିଥି ଅନୁସାରେ ଏହି ବ୍ରତ ୧୮ ସେପ୍ଟେମ୍ବରରେ ପାଳନ ହେଉଛି।

ଏହି ପୂଜାକୁ କେବଳ ସଧବା ନାରୀମାନେ ଏହି ଓଷା କରିଥାନ୍ତି । ଜିଉଁତିଆର ପୂର୍ବ ଦିନ ଓଷା କାରିଣୀମାନେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରିଦିଅନ୍ତି । ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ ଦୁବ, ନାନାପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି । ସପ୍ତମୀ ରାତ୍ରିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତା’ପରଦିନ ପ୍ରଭାତରୁ ତାଙ୍କୁ ଯାଇ ଭେଟିବାକୁ ହୁଏ । ସ୍ନାନ ଶେଷକରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡ଼େ ।

ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ୱୀପପରି ଜଣାପଡ଼ିବ । ଏହି କୋଠି ଅତି କମରେ ଦୁଇହାତ ଲମ୍ବା ହେବା ଦରକାର । ତା’ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ । ଖୋଳାଯାଇ ଏକ ବିଲ ତିଆରି କରି ତହିଁରେ ବାଲି ଦେଇ ବେଦୀ ନିର୍ମାଣ କରାଯାଇଥାଏ । ବେଦୀର ପୂର୍ବ ପାଖରେ ସୂର୍ଯ୍ୟ ଓ ପଶ୍ଚିମ ପାଖରେ ଏକ କଦଳୀ ଗଛକୁ ଜିମୂତବାହନଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ ।

ଓଷା ଶେଷରେ ଓଷାରେ ବ୍ୟବହୃତ ପୂଜା ସାମଗ୍ରୀକୁ ଓଷାକାରିଣୀମାନେ ଗିଳିବା ବା ଚୋବାଇବାର ପରମ୍ପରା ରହିଛି । ତା’ସହିତ ଧୂପଦୀପ ଦେଇ ତାଙ୍କୁ ପୂଜା କରନ୍ତି । ପୂଜା ଶେଷକରି ସୂର୍ଯ୍ୟଦେବତାଙ୍କୁ ନମସ୍କାର କରି ଏକମୁହାଁ ହୋଇ ଘରକୁ ଲେଉଟି ଆସନ୍ତି । ଓଷାର ପରଦିନ ସେମାନେ ନୂଆ ଲୁଗା ପିନ୍ଧି ଘରେ ପୂର୍ଣ୍ଣ କୁମ୍ଭ ବସାଇ ଗୋଟିଏ ସ୍ଥାନକୁ ଗୋବର ପାଣିରେ ଲିପି ପୋଛି ରନ୍ଧାବଢ଼ା କରିଥିବା ଜିନିଷକୁ ସେଇଠାରେ ଥୋଇ ଦିଅନ୍ତି । କୁମ୍ଭ ଆଗରେ ଦୀପ ଜାଳି ପୂଜା ସ୍ଥଳରେ ୧୦୮ ଚାଉଳ ଓ ୧୦୮ ଦୁବ ସହ ଏକ କଷି କାକୁଡ଼ିକୁ ଶାଳପତ୍ରରେ ବାନ୍ଧି ପୁଅମାନଙ୍କୁ ବନ୍ଦାଇଥାନ୍ତି । ତାକୁ ସେମାନେ ଦୂତୀବାହନଙ୍କୁ ନୈବେଦ୍ୟ ଦିଅନ୍ତି । ସେହି ସାମଗ୍ରୀକୁ ପୁଅମାନଙ୍କ ଆପାଦମସ୍ତକ ଛୁଆଁଇ ବ୍ରତ ବା “ଜିଉଁତିଆ”କୁ ସେମାନଙ୍କ ହାତରେ କବଚ ଭଳି ବାନ୍ଧି ଦେଇଥାନ୍ତି ଓ ବନ୍ଧୁବାନ୍ଧବ ପିଲା ସମସ୍ତଙ୍କୁ ପରସିଥାନ୍ତି।

Leave A Reply

Your email address will not be published.