ଚାକିରି ଲୋଭରେ ଚାଷ ଆଡୁ ମୁହଁ ଆଡ଼େଇ ଦେଉଛନ୍ତି ଲୋକେ, ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଚାକିରି ଛାଡି ପିଜୁଳି ଚାଷ କରୁଛନ୍ତି ୬୦ ବର୍ଷର ବ୍ୟକ୍ତି

ଦିନକୁ ଦିନ କମି ଯାଉଛି ମାଟି ଆଉ ସେହି ଜାଗାରେ ଠିଆ ହେଉଛି ବଡ଼ ବଡ଼ କଂକ୍ରିଟ୍‌ର କୋଠା । ଚାକିରି ଲୋଭରେ ଚାଷ ଆଡୁ ମୁହଁ ଆଡ଼େଇ ଦେଉଛନ୍ତି ଲୋକେ । ହେଲେ ଯିଏ ଚାଷର ମହତ୍ୱ ବୁଝିଛି ସେ କିନ୍ତୁ ଛାଡ଼ି ପାରୁନି ମାଟିର ମୋହ । ଆଜି ଆମେ ଆପଣଙ୍କୁ ଭେଟ କରାଇବୁ ନଟବର ବିଶ୍ୱାଳଙ୍କ ସହିତ। ଜନ୍ମ ତାଙ୍କର ଯାଜପୁର ଜିଲ୍ଲାରେ ହେଲେ ତାଙ୍କ କର୍ମ ଭୂମି ପାଲଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତ। ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି କରୁଥିଲେ କିନ୍ତୁ ଚାଷ ତାଙ୍କୁ କରାଇଲା ଗାଁ ମୁହାଁ। ୫ ଏକର ଜମିରେ କେବଳ ପିଜୁଳି ଚାଷ ଆରମ୍ଭ କରିଥିଲେ । ଅନ୍ୟ ୩ ଏକର ଜମିରେ ମୁଗ, ବିରି, ସାରୁ, କଦଳୀ, ସପୁରୀ ଭଳି ବିଭିନ୍ନ ପ୍ରକାର ଚାଷ କରିଛନ୍ତି ନଟବର । ତାଙ୍କର ଏହି ବଗିଚାରେ କାଶୀ ବିଶ୍ୱନାଥ ଓ ଆଲହାବାଦ ଧଳା ପିଜୁଳି ସହ ଅନେକ କିସମର ପିଜୁଳି ଫଳୁଛି ।

ନଟବରଙ୍କ ଘର ଯାଜପୁର ଜିଲ୍ଲା ବରହଟ୍ଟା ଗାଁର। ସେ ରାଉରକେଲା ଇସ୍ପାତ କାରଖାନାରେ ଭଲ ଦରମାରେ ଚାକିରି କରିଥିଲେ। ଚାକିରି ବେଳେ ପଶ୍ଚିମବଙ୍ଗର ମେଦିନପୁର ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ଫଳ ଚାଷ ଦେଖି ଏତେ ଖୁସି ହେଲେ ଯେ ନିଜେ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଗଲେ । ଆଉ ଚାକିରି ଛାଡି ବୈତରଣୀ ନଦୀ କୂଳରେ ପ୍ରାୟ ୫ ଏକର ଜମିରେ ଆରମ୍ଭ କରିଦେଲେ ପିଜୁଳି ଚାଷ । ପ୍ରାୟ ୧୫ ଶହ ପିଜୁଳି ଗଛ ଲଗାଇଛନ୍ତି ନଟବର। ମାତ୍ର ଦୁଇ ବର୍ଷରେ ଫଳିଛି ପିଜୁଳି । ବୟସ ଆସି ୬୦ ଛୁଇଁଲାଣି। ହେଲେ ସବୁବେଳେ କର୍ମ ତତ୍ପର । ଏଇ ପିଜୁଳି ବଗିଚା ତାଙ୍କ ପରିବାର ପୋଷୁଛି ।

ବର୍ଷକୁ ଅତି କମ୍‌ରେ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନଟବର । କିଛି ଲୋକଙ୍କୁ ସ୍ୱାବଲମ୍ବୀ ମଧ୍ୟ କରାଇଛନ୍ତି ଏଇ ପିଜୁଳି ଚାଷ ଜରିଆରେ । ବଡ଼ କଥା ହେଉଛି ବିନା ସରକାରୀ ସହାୟତାରେ ପିଜୁଳି ଚାଷ କରି ଜିଲ୍ଲାର ଉଦାହରଣ ସୃଷ୍ଟି କରିଛନ୍ତି ନଟବର । ଯଦି ପ୍ରଶାସନ ତାଙ୍କ ଅଭିଜ୍ଞତାକୁ କାମରେ ଲଗାଇ ଯୁବ ପିଢ଼ିଙ୍କୁ ବୃତ୍ତିର ଏହି ବାଟ ଦେଖାନ୍ତା ତେବେ ସେମାନେ ବି ନଟବରଙ୍କ ପରି ସ୍ୱାବଲମ୍ବୀ ହୋଇ ପାରନ୍ତେ । ପିଜୁଳି ପାଇଁ ଆମ ରାଜ୍ୟ ବାହାର ରାଜ୍ୟ ଉପରେ ନିର୍ଭର କରନ୍ତା ନାହିଁ ।

Leave A Reply

Your email address will not be published.