ଚିଲିକାରେ ବୁଡିଲା ଯାତ୍ରୀ ବାହୀ ଡଙ୍ଗା, ୧୧ ଉଦ୍ଧାର ଓ ଜଣେ ନିଖୋଜ

ଟାଙ୍ଗୀ (କେନ୍ୟୁଜ୍): ଚିଲିକାରେ କାଳ ବୈଶାଖୀର ତାଣ୍ଡବ।ବୁଡିଲା ଯାତ୍ରୀ ବାହୀ  ଡଙ୍ଗା।  କାଳି ଜାଇ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଲା ଡଙ୍ଗା। ବାଲେଶ୍ୱର ଅଞ୍ଚଳର ୧୨ ଜଣ ପର୍ଯ୍ୟଟକ ଥିଲେ ଡଙ୍ଗାରେ। ୧୧ ଜଣ ଉଦ୍ଧାର ହୋଇଥିବା ବେଳେ  ଜଣେ ନିଖୋଜ ହୋଇଛନ୍ତି। ଉଦ୍ଧାର ୧୧ ଜଣଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବାଲୁଗାଁ,ବାଣପୁର ଓ ବଡକୂଳରୁ ସ୍ପିଡ୍‌ ବୋଟ ଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି।

ସେହିପରି ଗତକାଲି କାଳ ବୈଶାଖୀର ପ୍ରଭାଵରେ ଚିଲିକାରେ  ମାଛ ମରା  ଡଙ୍ଗା ବୁଡିଥିଲା । ଅଳ୍ପକେ ବର୍ତ୍ତିଥିଲେ ମତ୍ସ୍ୟଜୀବୀ। ଘଟଣା ଘଟିଥିଲା  ଚିଲିକାର  ୪ ନଂ କୁଦ ନିକଟରେ । ସବୁ  ଦିନ ଭଳି  ଚିଲିକାରେ  ମତ୍ସ୍ୟଜୀବୀମାନେ  ମାଛ ମାରିବା  ପାଇଁ ଯାଇଥିଲେ ।  ମାଛ ମାରିବା ପାଇଁ  ଜାଲ ଖନ୍ଦା ବସାଇ ସାରିବା ପରେ  ମତ୍ସ୍ୟଜୀବୀମାନେ ରାତି ପ୍ରାୟ ୯ଟା ସମୟରେ ଖାଇ ପିଇ  ଡଙ୍ଗାରେ ବିଶ୍ରାମ ନେଉଥିଲେ । ହଠାତ୍ ଚିଲିକା ମଧ୍ୟରେ ପବନର ବେଗ ବଢିବାରେ ଲାଗିଲା । ପବନର ବେଗ ବେଳକୁ ବେଳ ବଢି ପ୍ରଳୟୀର ରୂପ ନେଲା। ଯାହା ଫଳରେ ଜାଲ ଗୁଡିକ ଭାଷି ଯିବା ସହ ଡଙ୍ଗା ଗୁଡିକରେ ପାଣି ପଶିବାକୁ ଲାଗିଲା । ପାଣି ପଶିବା ଫଳରେ ଡଙ୍ଗା ଗୁଡିକ ଚିଲିକାରେ ବୁଡିବାକୁ ଲାଗିଲା ।

ଫଳରେ ମତ୍ସ୍ୟଜୀବୀମାନେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଭେଳା ପଟାକୁ ଆଶ୍ରା କରି ଚିଲିକାର ଅଥଳ ଜଳ ରାଶିରେ ପହଁରିବାକୁ ଲାଗିଲେ । ମତ୍ସ୍ୟଜୀବୀମାନେ ନିରାପଦରେ ଘରକୁ ଫେରିଥିବା ବେଳେ ଅନେକ ମତ୍ସ୍ୟଜୀବୀମାନଙ୍କର ଡଙ୍ଗା ଏବେ  ଚିଲିକାରେ ବୁଡି ରହିଥିବା ଜଣା ପଡିଛି । ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ପାଣି ଦ୍ୱାର ଗ୍ରାମର ମତ୍ସ୍ୟଜୀବୀ ଅଶୋକ ବେହେରାଙ୍କର  ଡଙ୍ଗା ବୁଡି ଯାଇଥିବା ଜଣା ପଡିଛି । ପୁରୀ ଜିଲ୍ଲା  ୪ନଂ କୁଦର ପଶ୍ଚିମ ପଟେ ଡଙ୍ଗାଟି ବୁଡି ରହିଥିଲା ପରେ ଉଦ୍ଧାର ହୋଇଛି।

Leave A Reply

Your email address will not be published.